(ଶ୍ରେଷ୍ଠା ମହାନ୍ତି): ଇଟାଭାଟିରେ ମିଳୁଛି ମହିଳାଙ୍କୁ ଧମକ। ଏପରିକି ଅନେକ ସମୟରେ ସେମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଏପରିକି ସେମାନଙ୍କ ରୋଜଗାର ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି। ୨୦୧୧ ମସିହା ଜନଗଣନା ଅନୁସାରେ, ଭାରତର ସମୁଦାୟ ଜନସଂଖ୍ୟା ମଧ୍ୟରୁ ୪୮.୫୬ ପ୍ରତିଶତ ମହିଳା କାମ କରନ୍ତି। ତନ୍ମଧ୍ୟରୁ କେବଳ ମହିଳା ହାର ଦେଖିଲେ, ୨୫.୬୭ ପ୍ରତିଶତ ମହିଳା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ପ୍ରାୟ ୪୦ କୋଟି ଲୋକ ଅର୍ଥାତ୍ ଭାରତର ୮୫ ପ୍ରତିଶତରୁ ଅଧିକ କାର୍ଯ୍ୟରତ ଜନସଂଖ୍ୟା ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରିଥାଆନ୍ତି। ତନ୍ମଧ୍ୟରେ ୧୨ କୋଟି ମହିଳା ଅଛନ୍ତି। କେନ୍ଦ୍ରାପଡ଼ାର ଇଟାଭାଟିରେ କାର୍ଯ୍ୟରତ ମହିଳା ବିଶେଷ କରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରିଥାଆନ୍ତି। ସେଠାରେ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ସେମାନେ ସେଠାରେ ଅତି ଦୟନୀୟ ସ୍ଥିତିରେ କାମ କରୁଛନ୍ତି। ଏହାସହ ସେମାନଙ୍କ କାମ କରିବାର ସମୟ ମଧ୍ୟ ଠିକ୍ ନାହିଁ। ସେହିପରି ସେମାନଙ୍କ ବେତନରେ ବିଶେଷ ଭେଦଭାବ ନ ଥିବା ସହ ସେଠାରେ ଏକ ସଂରକ୍ଷିତ ପରିବେଶ ରହିଛି। ଯେହେତୁ ସେମାନେ ନିକଟସ୍ଥ ଠିକାଦାର ଦ୍ବାରା ନିଯୁକ୍ତ, ସେଥିପାଇଁ ସେମାନଙ୍କ ଚାକିରିର ସୁରକ୍ଷା ନାହିଁ। ତେବେ ଗ୍ରାମାଞ୍ଚଳରେ ଇଟା ଉତ୍ପାଦନରେ କଟକଣା ରହିଛି।

କେନ୍ଦ୍ରାପଡ଼ାକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିବାହ ପରେ କିମ୍ବା କାମ ଖୋଜିବା ପାଇଁ ମହିଳାମାନେ ଆସୁଛନ୍ତି। ସାଧାରଣତଃ ଏଠାକୁ ଆସିବା ପରେ ସେମାନେ କମ କରିବାର ତରିକା ଶିଖୁଛନ୍ତି। ଏହି କାମ କରିବା ଦ୍ବାରା ସେମାନଙ୍କୁ ଅଧିକ ଆୟ କରିବାର ସୁଯୋଗ ମିଳିବା ସହ ପରିବାରକୁ ସାହାଯ୍ୟ କରୁଛନ୍ତି। ତେବେ ସବୁଠୁ ସମ୍ବେଦନଶୀଳ କଥା ଏହା ଯେ, ମହିଳାମାନେ ସେମାନଙ୍କ ପିଲାମାନଙ୍କୁ କାର୍ଯ୍ୟସ୍ଥଳୀକୁ ଆଣିକି ଆସନ୍ତି। ସେଠାରେ ସେମାନେ ଧୂଳି-ଧୂଆଁ ଭିତରେ ଖେଳକୂଦ କରିଥାନ୍ତି। ସେଠାରେ କାମ କଲା ସମୟରେ ସେମାନଙ୍କ ନିର୍ଦ୍ଦିଷ୍ଟ ସମୟସୀମା ନ ଥାଏ। ତେବେ ଇଟାଭାଟି କ୍ଷେତ୍ରରେ କାମ କରିବା ପାଇଁ ନିଷ୍ପେଷିତ ବର୍ଗର ମହିଳାମାନେ ହିଁ ଆସିଥାନ୍ତି। ଯେଉଁମାନଙ୍କର କୌଣସି ସାମାଜିକ ସୁରକ୍ଷାର ଗ୍ୟାରେଣ୍ଟି ନଥାଏ। ସେହିପରି ସେମାନଙ୍କର କୌଣସି ସାମାଜିକ ସମ୍ମାନ ସହ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନ ଥାଏ। ଠିକାଦାର କିମ୍ବା ଇଟାଭାଟି ମାଲିକ ଯେତେବେଳେ ଚାହିଁବେ, ସେମାନଙ୍କୁ କାମରୁ ବାହାର କରି ଦେଇଥାନ୍ତି। ବିଶେଷ କରି ୬୬ ପ୍ରତିଶତ ମହିଳାଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ରହିଥାଏ। ଆଉ ସେମାନଙ୍କ ମଧ୍ୟରୁ ୯୪ ପ୍ରତିଶତ ମହିଳା ବିବାହିତ।

ବ୍ରହ୍ମପୁରର ଅଞ୍ଜଳୀ ପ୍ରଧାନ। ଆଳିଜଙ୍ଗ ନିକଟରେ ଥିବା ଇଟାଭାଟିରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି କାମ କରୁଛନ୍ତି। ଗତ ୬ ବର୍ଷ ଧରି ସେ ବିଧବା ଅଛନ୍ତି। ଦୀର୍ଘବର୍ଷ ଧରି ସେ ଘରଠାରୁ ଦୂରରେ ରହି କାମ କରୁଛନ୍ତି। ଚେନ୍ନାଇ ଓ ହାଇଦ୍ରାବାଦରେ ମଧ୍ୟ ସେ କାମ କରିଛନ୍ତି। ତାଙ୍କର କାମ କରିବାର ସମୟ ସକାଳ ୬ଟାରୁ ୧୦ଟା ଏବଂ ସାଢ଼େ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ରହିଥାଏ। ମଧ୍ୟାହ୍ନରେ ଇଟାଭାଟିରେ କେବଳ ସେ ଏକାକୀ କାମ କରିଥାନ୍ତି। ତାଙ୍କର ଆଠ ବର୍ଷର ଝିଅ ନନ୍ଦିନୀ ଜନ୍ମ ହେବାପରଠାରୁ ଜେଜ ବାପା ଓ ଜେଜେ ମା’ ଙ୍କ ନିକଟରେ ରହି ଆସୁଛି। ଗତ ମାସରେ ଅଞ୍ଜଳୀ ନନ୍ଦିନୀକୁ ନିଜ ପାଖକୁ ନେଇ ଆସିଛନ୍ତି। ସରକାରୀ ସ୍କୁଲରେ ମାଗଣାରେ ତାକୁ ପାଠ ପଢ଼ାଉଛନ୍ତି।
ବେଳେବେଳେ ନନ୍ଦିନୀ ଇଟାଭାଟିକୁ ଆସିଥାଏ। ସେଠାରେ ଖେଳାବୁଲା ମଧ୍ୟ କରିଥାଏ। ସକାଳୁ ସ୍କୁଲ ଯାଏ ଏବଂ ଅଞ୍ଜଳୀ କାମ ସାରିବା ପରେ ତାକୁ ସ୍କୁଲରୁ ଆଣିଥାନ୍ତି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଅଞ୍ଜଳୀ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ପାଇନାହାନ୍ତି। ଗାଁ ସରପଞ୍ଚଙ୍କ ଦ୍ବାରା ତାଙ୍କର ରାସନ କାର୍ଡ ଆବେଦନ ବାରମ୍ବାର ଖାରଜ ହେବା ପରେ ସେ ନିଜ ଗାଁ ଛାଡ଼ି କାମ ପାଇଁ ଚାଲି ଆସିଛନ୍ତି। ସେହିପରି ଅନ୍ୟାନ୍ୟ ସରକାରୀ ସୁବିଧା ସେ ଏଯାବତ୍ ପାଇନାହାନ୍ତି। ଇଟା ପ୍ରସ୍ତୁତି ବର୍ଷ ତମାମ ଚାଲି ନ ଥାଏ। ସେଥିପାଇଁ ବର୍ଷକୁ ଛଅ ମାସ ସେ କାମଧନ୍ଦା ନ ପାଇ ଅର୍ଥନୈତିକ ସହାୟତାରୁ ବଞ୍ଚିତ ହୁଅନ୍ତି। ଯାହା ବି ସେ ଆୟ କରିଥାନ୍ତି, ତାହା ସେହି ସପ୍ତାହ ବା ସେହି ମାସରେ ଶେଷ ହୋଇଯାଏ। ତାଙ୍କର ସଞ୍ଚୟ ବୋଲି କିଛି ନଥାଏ। ଇଟା ପ୍ରତି ସେ ପାଇଥାନ୍ତି ମାତ୍ର ୬୦ ପଇସା, ଯାହା ଅତି ନଗଣ୍ୟ। ଜରୁରୀକାଳୀନ ପରିସ୍ଥିତିରେ ହାତ ଉଧାରି କରିବା ହିଁ ତାଙ୍କର ଏକମାତ୍ର ବିକଳ୍ପ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ସୁକାନ୍ତି ମାର୍ଣ୍ଡି ଗରପୁର ଇଟାଭାଟିରେ ଶ୍ରମିକ ଭାବେ କାମ କରନ୍ତି। ସେଠାରେ ତାଙ୍କର ସ୍ବାମୀ ମଧ୍ୟ କାମ କରିଥାନ୍ତି। ତାଙ୍କର ୨ ବର୍ଷର ଛୁଆ ମଧ୍ୟ ଅଛି। ସେଇ ଛୁଆ ସବୁବେଳେ ଧୂଳି ଧୂସରରେ ସମୟ କାଟିଥାଏ। ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ସେ ବଞ୍ଚିତ ଅଛନ୍ତି।

ଆଉ ଜଣେ ମହିଳା ହେଉଛନ୍ତି ଗୁରୁବାରୀ ଟୁଡୁ। ସେ କୁହନ୍ତି ଯେ, ଇଟାଭାଟିରେ କାମ କରି ଅର୍ଥ ରୋଜଗାର କରି ପରିବାରକୁ ସହାୟତା କରନ୍ତି। ତାଙ୍କ ଝିଅ ଅନୀଶା ଟୁଡୁ ନୂଆ କରି ଚାଲି ଶିଖିବା ପରେ ଇଟାଭାଟିର ଧୂଳି ଓ ଧୂଆଁ ଭିତରେ ଅହରହ ବୁଲୁଥାଏ। ସେହିପରି ତାଙ୍କର ପାରିଶ୍ରମିକ ପତି ଓ ଅନ୍ୟ ସହ-ଶ୍ରମିକଙ୍କ ସହ ସମାନ। ଘରେ କାମ ନ କରି ଇଟାଭାଟିରେ କାମ କରିବାକୁ ତାଙ୍କ ପରିବାର ଲୋକେ ଗୁରୁବାରୀଙ୍କୁ ଉତ୍ସାହିତ କରିଥାନ୍ତି। ଗାଁକୁ ଆସିବା ପରେ ସେ ଚାଷ କାମରେ ନିଜକୁ ନିୟୋଜିତ କରିଥାନ୍ତି। ତେବେ ତାଙ୍କର ମାସିକ ଆୟ ୩ ହଜାରରୁ ୪ ହଜାର ଟଙ୍କା। ତାହା ପୁଣି ଇଟା ଗଢ଼ିବା ଉପରେ ନିର୍ଭର କରିଥାଏ। ୧୨୦ ଇଟା ଥିବା ଟ୍ରେରୁ ସେ ପାଇଥାନ୍ତି ମାତ୍ର ୪୫ ଟଙ୍କା। ତାଙ୍କ ପାଖରେ ଆଧାର କାର୍ଡ ସମେତ ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ସ୍ମାର୍ଟ କାର୍ଡ ଅଛି।