ପ୍ରିଜମ ନ୍ୟୁଜ ବ୍ୟୁରୋ: ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଥିବା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ହୋଇଥିଲା। ସେ ୨୦୦୬ରୁ ୨୦୦୭ ଏବଂ ୨୦୧୨ରୁ ୨୦୨୦ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଥିଲେ। ଅସୁସ୍ଥତା ହେତୁ ୨୦୨୦ରେ ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ।ଆଜି ସକାଳେ ପଶ୍ଚିମ ଜାପାନର ନାରାରେ ଏକ ସଂସଦୀୟ ନିର୍ବାଚନ ପାଇଁ ସିଞ୍ଜୋ ଆବେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ସମୟରେ ହଠାତ୍‌ ପଛ ପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି ଚାଳନା କରିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନାରା ମେଡିକାଲ ୟୁନିଭରସିଟି ହସ୍ପିଟାଲକୁ ପଠାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଅତ୍ୟଧିକ ରକ୍ତସ୍ରାବ ହେତୁ ସିଞ୍ଜୋ ହୃଦଘାତର ଶିକାର ହୋଇଥିଲେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ କହିଛି। ସେଥିପାଇଁ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଆଉ କାମ କରି ନଥିଲା।ସିଞ୍ଜୋ ଆବେଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି। ତାଙ୍କ ନାଁ ୟାମାଗାମି ତେତସୁୟା (୪୧)। ସେ ଜାପାନ ନୌସେନାରେ କାମ କରୁଥିଲେ। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସିଞ୍ଜୋ ଆବେଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ୟାମାଗାମି ତେତସୁୟା। ସେଥିପାଇଁ ସେ ତାଙ୍କୁ ହତ୍ୟା କରିଛନ୍ତି।