ସ୍ନିଗ୍ଧାରାଣୀ ସିଂହ:ଆପଣ ଅନେକ ହାଟ ବଜାର ଦେଖିଥିବେ ଯେଉଁଠି ଉଭୟ ପୁରୁଷ ମହିଳା ନିଜ ନିଜର ପସରା ଧରି ବସିଥାଆନ୍ତି। କିନ୍ତୁ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଥିବା ମୁଖ୍ୟ ପରିବା ବଜାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳେ। ବଜାର ଭିତରକୁ ପଶିଗଲେ କେବଳ ମହିଳା ପରିବା ବିକାଳୀଙ୍କୁ ଦେଖିବାକୁ ମିଳେ। କିଏ କୋଳରେ ପିଲା ଧରିଛି ତ ପୁଣି କିଏ କାଖରେ। ଆଉ କେହି କେହି ଦୁର୍ବଳ ଶରୀର ସହ ସଂଗ୍ରାମ କରି ଏଠାରେ ନିଜର ପସରା ମେଲାଇଥାନ୍ତି । ଏଠାକା ଆଖପାଖର ମହିଳାମାନେ ନିଜ ପରିବାର ଚଳେଇବା ପାଇଁ ଏହି ପରିବା ବଜାର ଉପରେ ନିର୍ଭରଶୀଳ । ଘର ଚଲେଇବା ପାଇଁ ଅନ୍ୟ କୌଣସି ସାହାରା ନଥିବା ମହିଳାମାନଙ୍କ ପାଇଁ ଏହି ବଜାର ପାଲଟିଛି ସାହାରା, ନିଜର ଛୋଟ ବଡ଼ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି ସେମାନେ। ଅଧିକାଂଶ ମହିଳା ବେପାରୀ ‘କୁଚନି’ର ବୋଲି ଜଣା ପଡ଼ିଛି ।

ବଡ଼ି ଭୋରୁ ଉଠି ମହିଳା ମାନେ ଘର କାମ ସାରି ବଜାରକୁ ଆସିଥାନ୍ତି । ହୋଲସେଲର୍ ପରିବା ବେପାରୀ ମାନଙ୍କଠାରୁ ପରିବା କିଣି ଆଣିବା ପରେ ନିଜ ନିଜ ସ୍ଥାନରେ ପକାନ୍ତି ପସରା ଆଉ ଗ୍ରାହକଙ୍କ ଅପେକ୍ଷାରେ ରହିଥାନ୍ତି । ମଧ୍ୟାହ୍ନ ପର୍ଯ୍ୟନ୍ତ ପରିବା ବିକା ବିକି କରି ଘରକୁ ଫେରନ୍ତି ସେଠି ଅନ୍ୟାନ୍ୟ କାମ ସରିବା ସହ କଣ ଗଣ୍ଡେ ଖାଇ ପୁଣି ଅପରାହ୍ନରେ ଫେରି ଆସନ୍ତି ବଜାରକୁ, ପୁଣି ରାତି ପ୍ରାୟ ୯ ପର୍ଯ୍ୟନ୍ତ ବଜାର ରେ ବିକବିକି କରି ଘରକୁ ଫେରନ୍ତି । ଘରର ସବୁ ଦାୟିତ୍ୱ ସେମାନଙ୍କ ମୁଣ୍ଡରେ । ଘରର ଦୈନିକ ଖର୍ଚ୍ଚରୁ ଆରମ୍ଭ କରି ପିଲା ପିଲାଙ୍କ ପଢ଼ାପଢ଼ି, ବାହାଘର ଆଦି ଯାବତୀୟ ଖର୍ଚ୍ଚ ଏହି ମହିଳାମାନଙ୍କୁ ତୁଲାଇବାକୁ ପଡିଥାଏ। ଏସବୁ ପାଇଁ ସେମାନଙ୍କ ଭରସା ଏହି ଛୋଟ ପରିବା ଦୋକାନ । ନିଜ ନିଜ ଭିତରେ ପ୍ରତିଯୋଗିତା ଚାଲିଥାଏ କିଏ କେତେ ଗ୍ରାହକ ଙ୍କୁ ଆକୃଷ୍ଟ କରି ପାରିବ ଆଉ ନିଜ ପରିବା ବିକ୍ରି କରି ପାରିବ । କେବେ କେବେ ସମସ୍ତ ପରିବା ବିକ୍ରି ହୋଇଯାଏ ତ ଆଉ କେବେ ବାଇନ ହୁଏନି, ବଡ କ୍ଷତି ସହିବାକୁ ହୁଏ।

ବାରମ୍ବାର କ୍ଷତି ସହି ମଧ୍ୟ ସେମାନେ ନିଜ ପେଟ ପାଇଁ ଏହି ବେପାର କରିବାକୁ ବାଧ୍ୟ ହୁଅନ୍ତି । ଯଦି କେବେ ଦେହ ପାଆ ଖରାପ ହୁଏ ବା କୌଣସି କାରଣରୁ ଦୋକାନ ଖୋଲି ହୁଏନି ସେତେବେଳେ ସେମାନଙ୍କ ଓ ପରିବାର ଅବସ୍ଥା କଣ ଯେ ହୁଏ ତାହା କେବଳ ସେମାନଙ୍କୁ ଜଣା। ପଇସା ଅଭାବରୁ କିଛି ମହିଳା ପରିବା ବ୍ୟବସାୟୀଙ୍କ ପିଲାମାନଙ୍କୁ ପାଠ ପଢ଼ା ମଧ୍ୟ ଅଧାରୁ ଛାଡ଼ିବାକୁ ପଡ଼ିଛି ବୋଲି ସେମାନେ ଅତି ଦୁଃଖ ର ସହ କହନ୍ତି । ଜଣକ ରୋଜଗାରରେ ଆଜିକା ଦିନରେ ପରିବାର ଚଲେଇବା କଷ୍ଟ ହୋଇପଡ଼ିଥିବା ବେଳେ ବାଧ୍ୟ ହୋଇ ସେମାନଙ୍କ ପୁଅଝିଅ ମାନଙ୍କୁ ମଧ୍ୟ ଖୁବ୍ କମ ବୟସରୁ ଏହି ବେପାର କରିବାକୁ ପଡିଥାଏ । ନିଜ ମା ମାନଙ୍କ ସହ ବସି ସେମାନେ ମଧ୍ୟ ବେପାରୀ ସାଜିବାକୁ ବାଧ୍ୟ ହେଉଛନ୍ତି ନହେଲେ କୋଉଠି ଯାଇ କୁଲି ମଜୁରୀ କରବାକୁ ବାଧ୍ୟ ହେଉଛନ୍ତି । ଏମାନଙ୍କ ପାଇଁ ନା ରହିଛି କିଛି ସରକାରୀ ସହାୟତା ନା କିଛି ସରକାରୀ ସୁବିଧା । ଏମିତି କି ଦୋକାନ ପାଇଁ ମଧ୍ୟ କୌଣସି ସୁବିଧା ନାହିଁ । ରାସ୍ତା କଡରେ ଖୋଲା ଆକାଶ ତଳେ ଖରା, ବର୍ଷା, ଶୀତ କାକର ସହି ସେମିତି ବସିଥାନ୍ତି । ପେଟ ଚାଖଣ୍ଡେ ପାଇଁ ସେମାନଙ୍କୁ ସବୁକଷ୍ଟ ସହିବା ପାଇଁ ପଡ଼େ ।କେବେ ପ୍ରଶାସନ ର ଦୃଷ୍ଟି ଏମାନଙ୍କ ଉପରେ ପଡୁଛି ତାହା ଦେଖିବାକୁ ବାକି ରହିଲା ।