Bhubaneswar: ଅଭାବ ଅନଟନ ଭିତରେ ଦ୍ରୌପଦୀଙ୍କ ପିଲାବେଳ ବେଶ୍ ସଂଘର୍ଷମୟ । ଘରର ଆର୍ଥିକ ବୋଝକୁ ହାଲୁକା କରିବା ପାଇଁ ପାଠ ପଢ଼ିବା ପରେ ସେ ତୁରନ୍ତ ଚାକିରି କରିଥିଲେ। ୧୯୭୯ରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟକ ଭାବେ ଆରମ୍ଭ କରିଥିଲେ ଚାକିରି ଜୀବନ। ପରେ ରାଇରଙ୍ଗପୁର ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ କେନ୍ଦ୍ରରେ ଶିକ୍ଷକତା କରିଥିଲେ । ବିବାହ ପରେ ସ୍ବାମୀ, ଦୁଇ ପୁଅ ଓ ଝିଅକୁ ନେଇ ଚାଲିଥିଲା ଦ୍ରୌପଦୀଙ୍କ ସଂସାର । ଜୀବନର ଏମିତି ଏକ ମୋଡ଼ରେ ସେ ରାଜନୀତି ପାହାଚରେ ପାଦ ଥାପିଥିଲେ ଯେ ତାଙ୍କ ପାଇଁ ଆସିଥିଲା ଅନେକ ଆହ୍ବାନ । ଗୋଟିଏ ପଟେ ପରିବାର ଅନ୍ୟପଟେ ଜନସେବା । କିଭଳି ଗାଁର ଚିତ୍ର ବଦଳିବ, ଗାଁ ଲୋକ ବଦଳିବେ, ସେଥିପାଇଁ ସଂକଳ୍ପ ନେଇଥିଲେ ଦ୍ରୌପଦୀ ।
ରାଜନୀତିରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ଦ୍ରୌପଦୀଙ୍କ ଉପରେ ଲଦି ହୋଇପଡ଼ିଥିଲା ଦୁଃଖର ପାହାଡ଼। ୨୦୦୯ରେ ଗୋଟିଏ ପୁଅର ଅକାଳ ମୃତ୍ୟୁ ହେଲା । ଏହାପରେ ପୂରା ଭାଙ୍ଗି ପଡ଼ିଥିଲେ ଦ୍ରୌପଦୀ । ମନୋବଳ ଦୃଢ଼ କରିବା ପାଇଁ ଆଧ୍ୟାତ୍ମିକ ମାର୍ଗରେ ସାମିଲ ହୋଇ ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥା ସହ ଯୋଡ଼ି ହୋଇଥିଲେ । ଦ୍ରୌପଦୀ ଟିକିଏ ସ୍ବାଭାବିକ ହେଉଥିବା ବେଳେ ୨୦୧୩ ମସିହାରେ ଘଟିଗଲା ଆଉ ଏକ ଅଘଟଣ । ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଆଉ ଜଣେ ପୁଅ । ୪ ବର୍ଷ ବ୍ୟବଧାରେ ଦୁଇ ଦୁଇଟି ପୁଅକୁ ହରାଇ ଜଡ଼ ପାଲଟି ଯାଇଥିଲେ ଦ୍ରୌପଦୀ । ସେହିବର୍ଷ ଅର୍ଥାତ ୨୦୧୩ରେ ଦ୍ରୌପଦୀଙ୍କ ମାଆ ଓ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହାର ବର୍ଷକ ପରେ ୨୦୧୪ରେ ସ୍ବାମୀଙ୍କ ଦେହାନ୍ତ ହୋଇଗଲା । ଜଣକ ପରେ ଜଣେ ଆପଣାର ଲୋକଙ୍କୁ ହରାଇ ଗଭୀର ମାନସିକ ଅବସାଦ ଭିତରେ କାଳ କାଟିଥିବା ଦ୍ରୌପଦୀଙ୍କୁ ନୂଆ ଜୀବନର ଆଲୋକ ଦେଇଥିଲା ଆଧ୍ୟାତ୍ମିକ ମାର୍ଗ ।

ଦେବଦେବୀଙ୍କ ଉପରେ ରହିଛି ଦ୍ରୌପଦୀଙ୍କ ଗଭୀର ଆସ୍ଥା । ମା’ ଦୁର୍ଗାଙ୍କର ସେ ଜଣେ ବଡ଼ ଭକ୍ତ । ଆଉ ପ୍ରଜାପତି ବ୍ରହ୍ମାକୁମାରୀ ସଂସ୍ଥାର ଉପାସିକା । ଆଦିବାସୀଙ୍କ ଉନ୍ନତି ପାଇଁ ନିଷ୍ଠାପର ଭାବେ କାର୍ଯ୍ୟକରିବା ସହ ନାରୀ ଶକ୍ତିକୁ ପ୍ରାଧାନ୍ୟ ଦେଉଥିଲେ ଦ୍ରୌପଦୀ । ପରିଣାମସ୍ବରୁପ ୨୦୧୫ରେ ତାଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର। ରାଜ୍ୟପାଳ ଭାବେ ୬ ବର୍ଷର କାର୍ଯ୍ୟକାଳ ସମାପ୍ତ କରି ଜନ୍ମମାଟି ରାଇରଙ୍ଗପୁର ମହୁଲଡିହା ବାସଭବନକୁ ଫେରି ଆସିଥିଲେ ଦ୍ରୌପଦୀ । ସେଠାରେ ସାନଭାଇ ଓ ଭାଉଜଙ୍କ ସହ ବିତାଉଥିଲେ ସାଧାରଣ ଜୀବନ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବାର ଦିନକ ପରେ ଗାଁ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଦ୍ରୌପଦୀ । ପୂର୍ବ ଅଭ୍ୟାସକୁ ବଳବତ୍ତର ରଖି ମନ୍ଦିର ପରିସରକୁ ସଫା କରିଥିଲେ । ଯେତେବେଳେ ୨୦୨୧ରେ ରାଜ୍ୟପାଳ ପଦରୁ ଅବ୍ୟାହତି ନେଲେ ସେତେବେଳେ ରାଇରଙ୍ଗପୁରର ମହୁଲଡିହାକୁ ଫେରି ଆସିଥିଲେ। ସେଠାରେ ସେ ସାନ ଭାଇ ଓ ଭାଉଜଙ୍କ ସହ ବିତାଉଥିଲେ ସାଧାରଣ ଜୀବନ।