ପ୍ରିଜମ ନ୍ୟୁଜ ବ୍ୟୁରୋ: ସୃଷ୍ଟିର ପ୍ରତ୍ୟେକ ଜିନିଷ ଅତ୍ୟନ୍ତ ରହସ୍ୟମୟ। ପ୍ରତ୍ୟେକ ଜିବଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରକ୍ରିୟା ମଧ୍ୟ ଆନେ ରହସ୍ୟରେ ଭରା। ପ୍ରାଣୀଟିଏ ଜନ୍ମ ହେବା ପରେ ଅନେକ ସୋପାନ ଦେଇ ଗତି କରୁଥାଏ ଯେପରି, ଶୈଶବ, କୈଶୋର, ଯିବା ଓ ବୃଦ୍ଧ। ତେବେ ଜୀବନ ଦୀର୍ଘାୟୁ କରିବା ସହ ଚିର ଯୌବନ ପ୍ରାପ୍ତି ପାଇଁ ଅନେକ ସମୟରେ ବୈଜ୍ଞାନିକ ମାନେ ଗବେଷଣା କରି ନୂଆ ନୂଆ ତଥ୍ୟ ବାହାର କରୁଛନ୍ତି। ତେବେ ଏବେ ସେମିତି ଏକ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗବେଷଣାରୁ ଜଣା ପଡିଛି ଯେ, ଜେଲିଫିଶ୍‌ର ଏକ ପ୍ରଜାତିରୁ ବୁଢ଼ା ନ ହେବା ଏବଂ ଅମର ହେବା ଭଳି ବିଶେଷ ଗୁଣ ମିଳିଛି। ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ ଏହି ଜେଲିଫିଶ୍‌ ମୃତ୍ୟୁ ନହେବା ପ୍ରକୃତିର କାରଣ ବାବଦରେ ଗବେଷକମାନେ ଜାଣିବାକୁ ପାଇଛନ୍ତି।

ଅଧ୍ୟୟନ କରିଥିବା ସ୍ପେନ୍‌ ବୈଜ୍ଞାନିକଙ୍କ ଏହି ଗବେଷଣା ରିପୋର୍ଟ ଅନୁଯାୟୀ କେତେକ ଜେଲିଫିଶ୍‌ ବାରମ୍ବାର ବୃଦ୍ଧାବସ୍ଥାରୁ ନିଜ ଯୁବ ଅବସ୍ଥାକୁ ଫେରିଆସିଥାନ୍ତି। ନିଜ ଡିଏନ୍‌ଏର ଅବିକଳ କପି ବନାଇବା ସହ ଆବଶ୍ୟକସ୍ଥଳେ ଏହାକୁ ମରାମତି କରିପାରିଥାନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି। ଟୁରିଟୋପିସିସ୍‌ ଡୋହର୍‌ନି ପ୍ରଜାତିର ଜେଲିଫିଶ୍‌ ଅମର ହେବା ପଛର କାରଣ ଜାଣିବା ପାଇଁ ଜେନେଟିକ୍‌ ସିକ୍ୱେନ୍ସିଂ କରାଯାଇଥିଲା। ସେଥିରେ ଏକ ସ୍ବତନ୍ତ୍ର ଜିନୋମ ରହିଛି ଯାହାକି କେବଳ ବୃଦ୍ଧାବସ୍ଥାକୁ ରୋକେ ନାହିଁ ବରଂ ମୃତ୍ୟୁ ହେବାରୁ ମଧ୍ୟ ବଞ୍ଚାଇଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।ଡୋହର୍‌ନି ସମେତ ପ୍ରାୟ ସମସ୍ତ ଜେଲିଫିଶ୍‌ ୨ଟି ଜୀବନ ଚକ୍ର ଦେଇ ଗତିକରିଥାନ୍ତି। ଏହାର ଆସେକ୍ସୁଆଲ ବା ଯୌନ ପ୍ରଜନନ ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଖାଦ୍ୟାଭାବ ଭଳି ପ୍ରତିକୂଳ ପରିସ୍ଥିତିରେ ଜେଲିଫିଶ୍‌ ସମୁଦ୍ର ଚଟାଣରେ ସେମିତି ପଡ଼ିରହି ଜୀବିତ ରହିଥାଏ। ଯେତେବେଳେ ପରିସ୍ଥିତି ଅନୁକୂଳ ହୁଏ ଜେଲିଫିଶ୍‌ ଯୌନ ପ୍ରଜନନ କରିପାରେ। ଅନେକ ଜେଲିଫିଶ୍‌ ସେମାନଙ୍କ ଜୀବନର ପୂର୍ବାବସ୍ଥା ଏପରିକି ଲାର୍ଭା ଅବସ୍ଥାକୁ ଯାଇପାରନ୍ତି ବୋଲି ଜଣାପଡିଛି। କିନ୍ତୁ ଯୌନ ପରିପକ୍ୱତା ଅବସ୍ଥାରେ ପହଞ୍ଚିବା ପରେ ଅଧିକାଂଶ ଜେଲିଫିଶ୍‌ଙ୍କଠାରେ ଏହି କ୍ଷମତା ହ୍ରାସ ପାଇଥାଏ।

ତେବେ ଟୁରିଟୋପିସିସ୍‌ ଡୋହର୍‌ନି ପ୍ରଜାତିର ଜେଲିଫିଶ୍‌ଠାରେ ଏହାର ବ୍ୟତିକ୍ରମ ଘଟିଥାଏ। ଏହାର କାରଣ ଜାଣିବା ପାଇଁ ବୈଜ୍ଞାନିକମାନେ ଉକ୍ତ ପ୍ରଜାତି ଏବଂ ଯୌନ ପ୍ରଜନନ ପରେ ଯୁବାବସ୍ଥାକୁ ଫେରିବା କ୍ଷମତା ହରାଉଥିବା ଟୁରିରୋପ୍‌ସିସ୍‌ ରୁବ୍ରା ପ୍ରଜାତିର ଜେନେଟିକ୍‌ ସିକ୍ୱେନ୍ସକୁ ତୁଳନା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ଟୁରିଟୋପିସିସ୍‌ ଡୋହର୍‌ନିର ଜିନୋମ୍‌ଠାରେ କେତେକ ବ୍ୟତିକ୍ରମ ରହିଛି, ଯାହା କି ଏହି ପ୍ରଜାତିର ଡିଏନ୍‌ଏକୁ ଆହୁରି ବିକଶିତ କରି ତାହାର ନକଲ ବନାଇବା ଏବଂ ଆବଶ୍ୟକସ୍ଥଳେ ଡିଏନ୍‌ଏ ମରାମତି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାବାଦ୍‌ ଏକ ନିର୍ଦ୍ଦିଷ୍ଟ କ୍ରୋମୋଜୋମ୍‌ ‘ଟେଲୋମିଅର୍ସ’ର ଲମ୍ବ ବଜାୟ ରଖିଥାଏ। ସାଧାରଣତଃ ମଣିଷ କ୍ଷେତ୍ରରେ ବୟସ ବଢ଼ିବା ସାଙ୍ଗକୁ ଟେଲୋମିଅର ଲମ୍ବ କମିଯାଇଥାଏ। ତେବେ ଏହା ମଣିଷ ମାନଙ୍କ କ୍ଷେତ୍ରରେ ଉପଯୋଗୀ ହୋଇପାରିବ କି ନାହିଁ ସେ ନେଇ ଅଧିକ ଗବେଷଣା ଚାଲିଛି। ଏହି ଗବେଷଣା ଆମର ବୟସକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ସଫଳତା କହିଲେ ଭୁଲ ହେବନି। ଏହାସହ କିପରି କେତେକ ପ୍ରଜାତି ଏହାକୁ ସମ୍ପୂର୍ଣ୍ଣ ଭାବରେ ହରେଇ ଦେଉଛନ୍ତି ତାହା ବିଷୟରେ ମଧ୍ୟ ଜାଣିବାର ଏକ ରାସ୍ତା ଦେଖାଇଛି।