ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ିଆ ସିନେ ତାରକା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଏହାର କାରଣ ଖୋଜୁଛି ପୋଲିସ। ଆଜି ପ୍ରାଚୀବିହାର ସ୍ଥିତ ତାଙ୍କ ଘରେ ପୋଲିସର ୨ ଘଣ୍ଟା ଛାନଭିନ କରିଥିବାର ସୂଚନା ମିଳିଛି। ଆତ୍ମହତ୍ୟା ଘଟଣା ନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ଓ ୪ମହିଳା ଅଧିକାରୀ ରାଇମୋହନଙ୍କ ଘରେ ତଦନ୍ତ କରିଥିବା ଜଣା ପଡିଛି। ଏହି ସମୟରେ ତାଙ୍କ ସ୍ତ୍ରୀ, ୨ଝିଅ, ଜ୍ୱାଇଁ, ପୁତୁରା, ଭିଣୋଇ ଓ ଭଉଣୀଙ୍କୁ ପଚରାଉଚରା କରିଛି ପୋଲିସ। ସେମାନଙ୍କ ସିଡିଆର ମଧ୍ୟ ଯାଞ୍ଚ ହୋଇଛି। ଆତ୍ମହତ୍ୟା ଦିନ ଘରେ ଏକୁଟିଆ ଥିଲେ ରାଇମୋହନ ବୋଲି ଜଣାପଡିଛି।

ତେବେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପ୍ରଥମେ କିଏ ଦେଖିଥିଲେ ? ତାଙ୍କ ମୃତଦେହ ନିକଟରୁ ସୁଇସାଇଡ ନୋଟ ମିଳିଛି କି ନାହିଁ ? ସମସ୍ତ ପ୍ରକାର ସୁବିଧା ପରେ ବି ସେ କେଉଁ କାରଣରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ? ଏସବୁ ଦିଗରେ ପୋଲିସ ତଦନ୍ତ ଚଳାଇଛି । ରାଇମୋହନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? କାହିଁକି ଆତ୍ମହତ୍ୟା କଲେ ରାଇମୋହନ ? ତେବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛୁ ପୋଲିସ । ସେଥିରୁ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇପାରିବ।