ନୂଆଦିଲ୍ଲୀ: Maharashtra Floor Test: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଫ୍ଲୋର ଟେଷ୍ଟ ହେବ । ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ସର୍ବୋଚ୍ଚ କୋର୍ଟ ଶିବସେନା ହ୍ୱିପ୍ ଚିଫ୍ ସୁନୀଲ ପ୍ରଭୁଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ରାଜ୍ୟପାଳଙ୍କ ନିଷ୍ପତ୍ତି ଠିକ୍ ଓ ଜୁନ୍ ୩୦ରେ ଆସ୍ଥା ଭୋଟ ପାଇଁ ଅନୁମତି ଦେଇଛନ୍ତି । ଏହାପୂର୍ବରୁ ଫ୍ଲୋର ଟେଷ୍ଟ ଉପରେ ଶୁଣାଣି ବେଳେ ଅଦାଲତ କହିଛନ୍ତି ଯେ, ବିଧାୟକଙ୍କ ଅଯୋଗ୍ୟତା ମାମଲା ବିଚାରଧୀନ ଥିବା ଯୋଗୁଁ ଫ୍ଲୋର ଟେଷ୍ଟ ବନ୍ଦ ହୋଇପାରିବ ନାହିଁ । ଏହା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ବଡ଼ ଝଟକା ଲାଗିଛି । ତେବେ ଏହା ପୂର୍ବରୁ ସେ କ୍ୟାବିନେଟ ବୈଠକରେ ଅଢ଼େଇ ବର୍ଷ ଧରି ସହଯୋଗ ପାଇଁ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂତ୍ରରୁ ଏହା ଜଣାପଡିଛି ଯେ ସେ ଆସ୍ଥା ଭୋଟ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ।