ବ୍ରହ୍ମପୁର:ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣିବନ୍ଧ ସାହି ଠାରେ ସୁଦାମ ଡାଙ୍ଗୁଆ ଓରଫ ଡିମ୍ବକୁ ଖଣ୍ଡାରେ ଆକ୍ରମଣ ସହ ହତ୍ୟା ଉଦ୍ୟମ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳେ ବଡ଼ ବଜାର ଥାନା ପୁଲିସ ପହଞ୍ଚି ଆହତ ଯୁବକ ଡିମ୍ବକୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।ମିଳିଥିବା ସୂଚନା ପ୍ରକାରେ କିଛି ଯୁବକଙ୍କ ସହ ଡିମ୍ବର ପୂର୍ବରୁ ଶତ୍ରୁତା ଲାଗି ରହିଥିଲା ।
ଆଜି ରାତି ୯ଟାରେ ଡିମ୍ବକୁ ରଙ୍ଗୁଣିବନ୍ଧ ସାହି ଠାରେ ଦୁଇ ଯୁବକ ଅଟକାଇ ତାଙ୍କ ହାତକୁ ହାଣିଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛି । ଅନ୍ୟ ପଟେ ଘଟଣା ସ୍ଥଳେ ପୁଲିସ ତଦନ୍ତ କରୁଛି । କେଉଁମାନେ ଏଭଳି ଉଦ୍ୟମ ଏବଂ କାହିଁକି କରିଛନ୍ତି ତାହାର ତଦନ୍ତ କରି ସେମାନଙ୍କୁ ଗିରଫ କରିବା ପ୍ରୟାସ କରାଯାଉଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଡିମ୍ବର ଘର ପ୍ରହଲ୍ଲାଦ୍ ନଗରରେ ହୋଇଥିବା ବେଳେ ସେ କାହିଁକି ରଙ୍ଗୁଣିବନ୍ଧ ସାହି ଆସିଥିଲେ ତାହା ସ୍ପଷ୍ଟ ଭାବେ ଜଣାପଡୁନାହିଁ । ତାଙ୍କୁ କିଏ ଡାକିଥିଲା ନା ସେ ପୂର୍ବରୁ ସେଠାରେ ଥିଲେ ନା ପୂର୍ବପ୍ରସ୍ତୁତି ଯୋଜନା ଭାବେ ତାଙ୍କୁ ଆକ୍ରମଣ ହୋଇଛି । ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ ପୁଲିସ କହିଛି । ଆହତ ଡିମ୍ବ ନାମରେ ୨୫ରୁ ଉର୍ଦ୍ଧ୍ବ ମାମଲା ରହିଛି। ଗଞ୍ଜେଇ ଚୋରା ଚାଲାଣ୍ ମାମଲାରେ ସେ ଜେଲ୍ରେ ଥିଲା । ଏବେ କିଛି ଦିନ ହେଲା ଜାମିନ୍ରେ ଆସିଥିବା ଆଇଆଇସି ଭୂପତି ସୂଚନା ଦେଇଛନ୍ତି। ବିଶେଷସୂତ୍ରରୁ ସୂଚନା ମିଳିଛି କି ଡିମ୍ବକୁ ଶିବ ଆଉ ବୋକା ମିଶି ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରିଛନ୍ତି । ଶିବ କିଛି ମାସ ତଳେ ଡକାୟତି ମାମଲାରେ ଗିରଫ ହୋଇ ଜେଲ ଯାଇ ବେଲରେ ଫେରିଥିବା ଜଣାପଡିଛି ।