21.9 C
Ganjām
Tuesday, January 25, 2022
Homeଓଡିଶାପଞ୍ଚାୟତ ନିର୍ବାଚନ ପାଇଁ ପ୍ରବାସୀଙ୍କୁ ଡାକରା: ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଭିଡ଼

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରବାସୀଙ୍କୁ ଡାକରା: ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଭିଡ଼

ବ୍ରହ୍ମପୁର : ‘ଆଗକୁ ପଞ୍ଚାୟତ ନିର୍ବାଚନ। ଗାଁରେ ମୋର ସମ୍ପର୍କୀୟ ଭାଇ ସରପଞ୍ଚ ପାଇଁ ଛିଡ଼ା ହେବ। ଏଥିପାଇଁ ଡାକରା ଆସିଛି। ଏଣୁ ମୁଁ ସୁରତରୁ ଗାଁକୁ ଫେରୁଛି ’। ଏହାହେଉଛି ଘରକୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ମତ। ତାଙ୍କ ଭଳି ବ୍ରହ୍ମପୁର ରେଳଷ୍ଟେସନ୍‌ରେ ଶହଶହ ପ୍ରବାସୀ ଓହ୍ଲାଇଛନ୍ତି। ଆଜି ଅପରାହ୍ନରେ ସୁରତରୁ ବ୍ରହ୍ମପୁର ଅଭିମୁଖେ ଆସିଥିବା ଓଖା-ପୁରୀ ଟ୍ରେନ୍‌ରେ ସେମାନେ ଘରକୁ ଫେରିଛନ୍ତି।

ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଲୋକ ବିଭିନ୍ନ ରାଜ୍ୟରେ କାମ କରୁଛନ୍ତି। ପ୍ରାୟ ୮୦ରୁ ୮୫ ପ୍ରତିଶତ ଲୋକ ସୁରତର ବିଭିନ୍ନ ଫ୍ୟାକ୍ଟ୍ରି‌ରେ କାମ କରିଥାନ୍ତି। ପ୍ରତିବର୍ଷ ବିଭିନ୍ନ ସମୟରେ ଗଞ୍ଜାମ ଜିଲ୍ଲାରୁ ଶ୍ରମିକଙ୍କ ଯିବା ଆସିବା ରହିଥାଏ। ଗତଦୁଇ ବର୍ଷ ହେଲା କରୋନା ଯୋଗୁଁ ଲକ୍ଷାଧିକ ପ୍ରବାସୀ ଗଞ୍ଜାମ ଫେରିଥିଲେ। ସ୍ଥିତି ସ୍ବାଭାବିକ ହେବାପରେ ପୁଣିଥରେ ଶ୍ରମିକମାନେ ସୁରତ ମୁହାଁ ହୋଇଥିଲେ। ଏବେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏହାର ବହୁପୂର୍ବରୁ ବିଭିନ୍ନ ଗ୍ରାମାଞ୍ଚଳର ନେତାମାନେ ସୁରତରେ ରହୁଥିବା ସମ୍ପର୍କୀୟ ଓ ବନ୍ଧୁଙ୍କ ସହ ଯୋଗାଯୋଗ କରି ଘରକୁ ଫେରିବାକୁ ନିମନ୍ତ୍ରଣ କରି ସାରିଥିଲେ।

ଏଥିପାଇଁ ସୁରତରୁ ପ୍ରବାସୀଙ୍କ ‌ଘର ଲେଉଟାଣି ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ଓଖା-ପୁରୀ ଟ୍ରେନ୍‌ରୁ ପ୍ରାୟ ୭ଶହ ଲୋକ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଓହ୍ଲାଇଛନ୍ତି। ତନ୍ମଧ୍ୟରୁ ଅଧିକାଂଶ ଲୋକ ନିଜର ପରିବାର ସହ ସୁରତରୁ ଫେରିଥିବା ଜଣାପଡ଼ିଛି। ଆସିକା, ଖଲ୍ଲିକୋଟ, ପୁରୁଷୋତ୍ତମପୁର, କୋଦଳା, ପାତ୍ରପୁର ଭଳି ଅଞ୍ଚଳକୁ ସେମାନେ ଯାଇଛନ୍ତି। ନିର୍ବାଚନ ପାଇଁ ଏବେ ଲେଉଟାଣି ପର୍ବ ଆରମ୍ଭ ହୋଇଛି। ଆସନ୍ତ ୭ଦିନ ପରେ ସୁରତରୁ ଫେରୁଥିବା ଟ୍ରେନ୍‌ଗୁଡ଼ିକ ଆହୁରି ଭିଡ଼ ହେବ। ଦୈନିକ ହଜାର ହଜାର ସଂଖ୍ୟାରେ ଯାତ୍ରୀ ସୁରତରୁ ବ୍ରହ୍ମପୁର ଆସିବେ ବୋଲି ଅନୁମାନ କରାଯାଉଛି।

କରୋନାର ପ୍ରଥମ ଲହରରେ ସୁରତ ଫେରନ୍ତାଙ୍କ ‌ଯୋଗୁଁ ଗଞ୍ଜାମ ଜିଲ୍ଲା ହଟ୍‌ସ୍ପଟ୍‌ ପାଲଟିଥିଲା। ଏବେ ପୁଣିଥରେ ଗଞ୍ଜାମକୁ ସୁରତରୁ ପ୍ରବାସୀଙ୍କ ସୁଅ ଛୁଟିବ। କିନ୍ତୁ ରେଳ ଷ୍ଟେସନ୍‌ରେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ସ୍କ୍ରିନିଂ ବ୍ୟବସ୍ଥା କରାଯାଇ ନାହିଁ। ଏ ସମ୍ପର୍କରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତ ଭାସନ୍‌ କହନ୍ତି, ସୁରତରୁ କୌଣସି ସ୍ବତନ୍ତ୍ର ପ୍ରବାସୀ ଟ୍ରେନ୍‌ ଆସୁନାହିଁ। ସାଧାରଣ ଟ୍ରେନ୍‌ରେ ଯାତ୍ରୀ ଆସିବେ। ଏବେ ଟିକାକରଣକୁ ବ୍ୟାପକ କରାଯାଇଛି। ଏଣୁ ଚିନ୍ତାର କାରଣ ନାହିଁ। ଆଗାମୀ ଦିନରେ ଯାହା ଗାଇଡ୍‌ ଲାଇନ୍‌ ଆସିବ ସେ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

RELATED ARTICLES

Most Popular